Nojoto: Largest Storytelling Platform

ଚାରିଅଣା (ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କାହାଣୀ) ଖରାଦିନିଆ

ଚାରିଅଣା

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କାହାଣୀ) ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲେ। ସେଥିପାଇଁ ବୋଧେ ପିଲାଙ୍କୁ କଙ୍କି ଧରିବାରୁ ଦୂରେଇ ରଖିବା ପାଇଁ ମା ମାନେ ସେତେବେଳେ ଗୋଟେ ନିଆରା ଉପାୟ ରଖିଥିଲେ। ଆଉ ସେଇ ଉପାୟ ବୋଉ ବ୍ୟବହାର କଲା ରିଙ୍କୁ ଉପରେ। "ଆରେ ବାପା ତୁ ଜାଣିଛୁ, କଙ୍କି ଜମା ଧରିବା କଥା ନୁହେଁ, କାହିଁକି ନା କଙ୍କି ଧରଣ ପା ମା ମରଣ।", ଏତିକି କହିକି ବୋଉ ଘର ଭିତରକୁ ଚାଲିଗଲା। କିନ୍ତୁ ସେତିକି କଥା ରିଙ୍କୁ ମନରେ ସତେ ଯେମିତି ଛପି ଗଲା। ସମସ୍ତଙ୍କ ପରି ରିଙ୍କୁ ବି ତା ବୋଉ କୁ ବହୁତ୍ ଭଲ ପାଏ। ସାଙ୍ଗେ ସାଙ୍ଗେ ଧରି ଥିବା ସବୁ କଙ୍କି କୁ ଉଡ଼େଇ ଦେଇ ବୋଉ ପଛରେ ଦୌଡିଲା ରିଙ୍କୁ। ପଛରୁ ବୋଉ କାନିକୁ ଟାଣି ଧରିକି କୁନ୍ଥୁ କୁନ୍ଥୁ ହେଇ କହିଲା,"ବୋଉ ମୁଁ ସବୁ କଙ୍କି ଉଡ଼େଇ ଦେଲି ଆଉ କେବେ କଙ୍କି ଧରିବନି ମୁଁ।" ବୋଉ ରିଙ୍କୁ କଥା ଶୁଣିକି ଚାପି ଚାପି ହସୁଥାଏ। ସେତିକି ବେଳେ ବାହାରୁ ଘଣ୍ଟି ବାଜିବା ଶବ୍ଦ ଶୁଭିଲା। 

ରିଙ୍କୁ ସାଙ୍ଗେ ସାଙ୍ଗେ ଦଉଡ଼ି ଗଲା ବାହାରକୁ। ଆଇସ୍କ୍ରିମ୍ ବାଲା ଘଣ୍ଟି ବଜେଇ ବଜେଇ ଦାଣ୍ଡ ଦେଇ ଚାଲିଯାଉଥାଏ। ସାଙ୍ଗେ ସାଙ୍ଗେ ପିଲାଙ୍କ ଭିଡ଼ ଜମି ଗଲା ତା ପାଖରେ। ରିଙ୍କୁ ବି ସାଙ୍ଗେ ସାଙ୍ଗେ ପୁଣି ଘର ଭିତରକୁ ଦୌଡ଼ିଗଲା। "ଏ ବୋଉ ବୋଉ ମୋତେ ଜଲଦି ଟଙ୍କାଟେ ଦେ ନା ଆଇସ୍କ୍ରିମ୍ ବାଲା ଆସିଛି ଆମେ ଆଇସ୍କ୍ରିମ୍ ଖାଇବା।" ବୋଉ କହିଲା,"କାଲି ପା ଆଇସ୍କ୍ରିମ୍ ବାଲା ଆସିଥିଲା। ତୁ ଜିଦି କରିକି ୨ ଟଙ୍କିଆ ମଲେଇ ଆଇସ୍କ୍ରିମ୍ ଖାଇଥିଲୁ। ପୁଣି ଆଜି କହୁଛୁ। ନା ଜମା ନାହିଁ ଆଇସ୍କ୍ରିମ୍ ବାଲା ପୁଣି କାଲି ଆସିବନି କି, କାଲି ଖାଇବୁ ନ ହେଲେ।" ରିଙ୍କୁ ମୁହଁ ଶୁଖେଇ ପୁଣି ବାହାରକୁ ଚାଲିଗଲା। ସେଠି ଆଇସ୍କ୍ରିମ୍ ବାଲା ପାଖରେ ପିଲାଙ୍କ ଭିଡ଼ ଦେଖିକି ମନକୁ ବୁଝେଇ ପାରିଲାନି ସେ। ପୁଣି ଦୌଡିଗଲା ବୋଉ ପାଖକୁ। "ଏ ବୋଉ ପ୍ଲିଜ୍ ମତେ ପଇସା ଦେ ନା। ଟଙ୍କାଟେ ନ ଦେଲେ ୫୦ ପଇସା ତ ଦେ। ମୁଁ ସେ ଅରେଞ୍ଜ ବାଲା ଆଇସ୍କ୍ରିମ୍ ଖାଇ ଦେବି। ଟିକୁ ବି ତା ବୋଉଠୁ ପଇସା ଆଣିକି ଆଇସ୍କ୍ରିମ୍ କିଣୁଛି ବାହାରେ। ଏଥର ବୋଉ ଚିଡ଼ିକି କହିଲା," ସବୁବେଳେ କଣ ଜିଦି ଗୋଟେ ତୋର, ଥରେ ମନା କଲେ ବୁଝି ପାରୁନୁ କି। ନା ମାନେ ନା।" ଏପଟେ ରିଙ୍କୁ ବି ତା ଜିଦି ରେ ଅଟଳ। ବୋଉ କଥା ନ ମାନି ଦୌଡିଲା ରୋଷେଇ ଘର କୁ, ବୋଉ ଯୋଉ ଡବା ରେ ପଇସା ରଖେ ସେ ଡବା ଖେଳେଇଲା। ସେଠୁ କିଛି ନ ପାଇ ଯାଇକି ଖୋଜିଲା ଆଲମାରୀ ରେ ଯୋଉଠି ବୋଉ ପଇସା ରଖେ। ସେଠି ବି ପାଇଲାନି କିଛି। ପୁଣି ମନ କଣ ହେଲା ବାହାରକୁ ଦୌଡିଲା। ବାହାରେ ଯାଇ ଦେଖିଲା ଆଇସ୍କ୍ରିମ୍ ବାଲା ଏବେ ବି ଥିଲା। ପୁଣି ଫେରିଲା ଘରକୁ। ବୋଉ ଆଟାଚି କୁ ବି ଖେଳେଇଲା। ସେଠୁ ବି ନିରାଶ ହେଲା ପରେ ଶେଷରେ ବୋଉ ଚୁଡ଼ି ଡବା ରୁ ପାଇଲା ୨୫ ପଇସା। 

୨୦୦୬ ମସିହା ରେ ୨୫ ପଇସା ବନ୍ଦ ହେବା ଉପରେ। ସେଇଟା ଚାଲୁ ତ ଥିଲା କିନ୍ତୁ ୨୫ ପଇସା ରେ କହିବାକୁ ଗଲେ କିଛି ବି ମିଳୁ ନ ଥିଲା। ବୋଉ କୁ କିଛି ନ ପଚାରି ସେଇ ୨୫ ପଇସା ଧରିକି ରିଙ୍କୁ ଦୌଡିଲା ଆଇସ୍କ୍ରିମ୍ ବାଲା ପାଖକୁ। ସେତେବେଳେ ଆଇସ୍କ୍ରିମ୍ ବାଲା ପାଖରେ ଆଉ ଭିଡ଼ ନ ଥାଏ। ଖରାରେ ଗଛମୂଳେ ସେ ଏକା ବସି ଥାଏ। ରିଙ୍କୁ ଦଉଡ଼ି ଯାଇ ସେଇ ଆଇସ୍କ୍ରିମ୍ ଠେଲା ଉପରେ ୨୫ ପଇସା କୁ ଥୋଇ ଦେଇ କହିଲା ," ମତେ ଗୋଟେ ୨୫ ପଇସା ବାଲା ଆଇସ୍କ୍ରିମ୍ ଦିଅ। ଆଇସ୍କ୍ରିମ୍ ବାଲା ୨୫ ପଇସା କୁ ଦେଖିକି ଟିକେ ରାଗିଗଲା। ଛୋଟ ପିଲା ବୋଲି କିଛି ନ କହି ସେଇ ପଇସା ଟିକୁ ରିଙ୍କୁ ଆଡ଼କୁ ପେଲି ଦେଲା ଆଉ ହାତ ରେ ଠାରିକି ମନା କଲା। ୪ ବର୍ଷ ର ପିଲା ରିଙ୍କୁ। ଟିକେ ବୁଝିପାରିଲାନି। ଆଉ ଥରେ ପଚାରିଲା ୨୫ ପଇସା ବାଲା ଆଇସ୍କ୍ରିମ୍ ନାହିଁ କି ଅଙ୍କଲ୍। ଆଇସ୍କ୍ରିମ୍ ବାଲା ପାଟି କରି କହିଲା ,"୨୫ ପଇସା ରେ ଆଉ କିଛି ମିଳୁନି, ଯା ଘରୁ ୫୦ ପଇସା ଆଣିବୁ ।" ମୁହଁ ଶୁଖି ଗଲା ରିଙ୍କୁ ର। ଏବେ ସବୁ ବୁଝି ସାରି ଥିଲା ସେ। ଏତେ ସମୟ ଦୌଡ଼ାଦୌଡ଼ି କରିକି ବି ସେ ଆଇସ୍କ୍ରିମ୍ ଖାଇ ପାରିଲାନି। ଘରକୁ ଫେରିଲା ବେଳକୁ ବୋଉ ଦୁଆର ମୁହଁରେ ଠିଆ ହେଇ ଅସହାୟ ପରି ସବୁ ଦେଖୁ ଥାଏ। ରିଙ୍କୁ ଦଉଡ଼ି ଯାଇ ବୋଉକୁ ଜାବୁଡ଼ି ଧରିଲା। ଆଉ ଭୋ ଭୋ ହେଇ କାନ୍ଦିଲା। "କାନ୍ଦେ ନା ରେ ଦୁଃଖ, ତୋ ବାପା ଆସିଲେ ମୁଁ ତାଙ୍କ ଠୁ ଯେମିତି ହେଲେ ପଇସା ରଖିବି , ଆଇସ୍କ୍ରିମ୍ ବାଲା ତ ପୁଣି କାଲି ଆସିବ, ତୁ କାଲି ଖାଇଦବୁ ହେଲା। ଆଉ କାନ୍ଦେ ନା।" ଏମିତି କହିକି ବୋଉ ରିଙ୍କୁ କୁ ବୁଝାଉ ଥାଏ ଆଉ ତା ଆଖିରୁ ଧାର ଧାର ହେଇ ଲୁହ ବୋହି ଯାଉଥାଏ। ନିଜ ଲୁହ ପୋଛି କାନି ରେ ରିଙ୍କୁ ଲୁହ ପୋଛିଦେଇ ବୋଉ ପୁଣି କହିଲା," ଧନ ରେ। ସବୁ ବାପା ମାଆ ତାଙ୍କ ଛୁଆ କୁ ସେ ସବୁ କିଛି ଦବାକୁ ଚାହାନ୍ତି ଯାହା ତାଙ୍କ ପିଲା ମୁହଁ ରେ ହସ ଆଣି ଦିଏ। ମୋ ଦୁଃଖ କିଛି ଖାଇବାକୁ ମନ କରିବ ଆଉ ମୁଁ କଣ ତାକୁ ଦବାକୁ ଚାହିଁବିନି, ଏମିତି କଣ କେବେ ହେଇ ପାରେ। ହେଲେ ବାପାରେ ପରିସ୍ଥିତି ଆଉ ସମୟ ବେଳେ ବେଳେ ମଣିଷ କୁ ଅସହାୟ କରି ଦିଏ। ତୁ ଆମର ଭଲ ପାଠ ପଢ଼ିବୁ, ବଡ ଚାକିରି ଗୋଟେ କରିବୁ, ଆଉ ବହୁତ୍ ପଇସା ରୋଜଗାର କରିବୁ। ତା ପରେ ଆମେ ମା ପୁଅ ମିଶିକି ଡେଲି ଆଇସ୍କ୍ରିମ୍ କିଣିକି ଖାଇବା ହେଲା।" ୪ ବର୍ଷ ର ରିଙ୍କୁ ସେଥିରୁ କଣ ବୁଝିଲା କେଜାଣି, ସେ ବଡ଼ ହଁ ଟେ ମାରି ବୋଉ କୁ କୁଣ୍ଢେଇ ପକେଇଲା। ଆଉ ବୋଉ ବି ରିଙ୍କୁ କୁ ବୁଝେଇବା ବାହାନା ରେ ନିଜ ମନକୁ ବୁଝେଇ ଦେଲା।

#ଚାରିଅଣା
#yqodia